Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 6

ବିଚାରକର୍ତ୍ତା 6:1-15

Help us?
Click on verse(s) to share them!
1ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ ସନ୍ତାନଗଣ ତାହା କଲେ; ତହୁଁ ସଦାପ୍ରଭୁ ସେମାନଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ମିଦୀୟନୀୟମାନଙ୍କ ହସ୍ତରେ ସମର୍ପଣ କଲେ।
2ତେଣୁ ମିଦୀୟନୀୟମାନଙ୍କ ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା; ପୁଣି ମିଦୀୟନୀୟମାନଙ୍କ ସକାଶୁ ଇସ୍ରାଏଲ ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ।
3ତହୁଁ ଏହିପରି ହେଲା ଯେ, ଇସ୍ରାଏଲୀୟମାନେ ବୀଜ ବୁଣିଲେ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସନ୍ତି; ସେମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସି
4ସେମାନଙ୍କ ସମ୍ମୁଖରେ ଛାଉଣି କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କରନ୍ତି, ପୁଣି ଇସ୍ରାଏଲଙ୍କ ମଧ୍ୟରେ ପ୍ରାଣ ବଞ୍ଚିବାର କୌଣସି ଉପାୟ, କି ମେଷ, କି ଗୋରୁ, କି ଗଧ, କିଛି ରଖନ୍ତି ନାହିଁ।
5କାରଣ ସେମାନେ ଆପଣା ଆପଣା ପଶୁ ଓ ତମ୍ବୁ ଘେନି ଚଢ଼ି ଆସନ୍ତି, ସେମାନେ ପଙ୍ଗପାଳ ପରି ବହୁସଂଖ୍ୟକ ହୋଇ ଆସନ୍ତି, ସେମାନେ ଓ ସେମାନଙ୍କ ଓଟ ଉଭୟ ଅସଂଖ୍ୟ; ଆଉ ସେମାନେ ଦେଶକୁ ଉଚ୍ଛିନ୍ନ କରିବାକୁ ଆସନ୍ତି।
6ଏଣୁ ଇସ୍ରାଏଲ ମିଦୀୟନ ସମ୍ମୁଖରେ ଅତି କ୍ଷୀଣ ହେଲେ; ପୁଣି ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
7ଏଥିରେ ଇସ୍ରାଏଲ ସନ୍ତାନଗଣ ମିଦୀୟନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ,
8ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପ୍ରେରଣ କଲେ; ତହୁଁ ସେ ସେମାନଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଦାସଗୃହରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ;
9ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ହସ୍ତରୁ ଓ ଯେଉଁମାନେ ତୁମ୍ଭମାନଙ୍କୁ ଉପଦ୍ରବ କଲେ, ସେ ସମସ୍ତଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେଲୁ, ଆଉ ସେମାନଙ୍କ ଦେଶ ତୁମ୍ଭମାନଙ୍କୁ ଦେଲୁ;
10ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ଆମ୍ଭେ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର; ତୁମ୍ଭେମାନେ ଯେଉଁ ଇମୋରୀୟମାନଙ୍କ ଦେଶରେ ବାସ କରୁଅଛ, ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ; ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ।
11ଏଥିଉତ୍ତାରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାଶ୍‍ର ଅଧିକାରସ୍ଥ ଅଫ୍ରାରେ ଅଲୋନ୍‍ ବୃକ୍ଷ ମୂଳରେ ବସିଲେ; ସେହି ସମୟରେ ତାହାର ପୁତ୍ର ଗିଦିୟୋନ୍‍ ମିଦୀୟନୀୟମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ-କୁଣ୍ଡ ଭିତରେ ତାହା ମଳୁଥିଲେ।
12ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।
13ଏଥିରେ ଗିଦିୟୋନ୍‍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୁ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏ ସବୁ ଘଟିଅଛି କାହିଁକି ? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣି ନାହାନ୍ତି, ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ, ସେସବୁ କାହିଁ ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦୀୟନର ହସ୍ତରେ ସମର୍ପଣ କରି ଅଛନ୍ତି।
14ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ ?
15ତହୁଁ ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି ? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋ’ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।

Read ବିଚାରକର୍ତ୍ତା 6ବିଚାରକର୍ତ୍ତା 6
Compare ବିଚାରକର୍ତ୍ତା 6:1-15ବିଚାରକର୍ତ୍ତା 6:1-15