Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 9

ପ୍ରେରିତ 9:8-25

Help us?
Click on verse(s) to share them!
8ପୁଣି,ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ । ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେସକକୁ ଘେନିଗଲେ ।
9ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ ।
10ଦମ୍ମେସକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, ହନନୀୟ । ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ ।
11ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;
12ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥି ନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି ।
13କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୂ, ଯିରୂଶାଲମରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି ।
14ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି ।
15କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ; କାରଣ ସେ ଅଣଯିହୂଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
16ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା ।
17ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ,ଏଥି ନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି ।
18ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କ'ଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,
19ଆଉ ସେ ଭୋଜନ କରି ବଳ ପାଇଲେ ।ଏଥିଉତ୍ତାରେ ସେ ଦମ୍ମେସକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;
20ପୁଣି, ଯୀଶୁ ଯେ ଈଶ୍ୱରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ ।
21ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ,ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇ ପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା,ଏ କି ସେହି ନୁହେଁ ?
22କିନ୍ତୁ, 'ଶାଉଲ' ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ,ଏହା ପ୍ରମାଣ କରି ଦମ୍ମେସକନିବାସୀ ଯିହୂଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ ।
23ଅନେକ ଦିନ ଗତ ହେଲା ଉତ୍ତାରେ ଯିହୂଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
24କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା । ଆଉ, ସେମାନେ ଯେପରି ତାହାଙ୍କୁ ବଧ କରି ପାରନ୍ତି,ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ୱାରସବୁ ଜଗି ରହିଲେ,
25କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ ।

Read ପ୍ରେରିତ 9ପ୍ରେରିତ 9
Compare ପ୍ରେରିତ 9:8-25ପ୍ରେରିତ 9:8-25