Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 8

ପ୍ରେରିତ 8:10-35

Help us?
Click on verse(s) to share them!
10ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ ।
11ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରିଥିଲା ।
12କିନ୍ତୁ ଫିଲିପ୍ପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ ।
13ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା ।
14ଶମିରୋଣର ଲୋକମାନେ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି,ଏହା ଯେତେବେଳେ ଯିରୂଶାଲମରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ ।
15ସେମାନେ ଯାଇ,ସେହି ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ,
16କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନ ଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ ।
17ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ ।
18ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,
19ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ ।
20କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ୱରଙ୍କ ଦାନ କିଣିବାକୁ ଭାବିଲ ।
21ଏବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ୱରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ ।
22ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ;
23କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି ।
24ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ଘଟେ, ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ ।
25ଏହି ପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମକୁ ବାହୁଡ଼ିଗଲେ ।
26ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମରୁ ଗଜ୍ଜା ଆଡ଼କୁ ପଡ଼ିଅଛି, ସେହି ପଥକୁ ଯାଅ । ତାହା ମରୁଭୂମି ।
27ସେଥିରେ ସେ ଉଠି ଗମନ କଲେ । ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧିନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା (କୋଷାଧ୍ୟକ୍ଷ) ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ;
28ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ ।
29ସେତେବେଳେ ଆତ୍ମା ଫିଲିପ୍ପଙ୍କ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର ।
30ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି ?
31ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି ? ଆଉ, ସେ ଫିଲିପ୍ପଙ୍କ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ ।
32ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ ।
33ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା ।
34ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏକଥା କହନ୍ତି ? ଆପଣା ବା ଆଉ କାହା ବିଷୟରେ ?
35ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ ।

Read ପ୍ରେରିତ 8ପ୍ରେରିତ 8
Compare ପ୍ରେରିତ 8:10-35ପ୍ରେରିତ 8:10-35