Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 7

ପ୍ରେରିତ 7:6-27

Help us?
Click on verse(s) to share them!
6ଈଶ୍ୱର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ ।
7ପୁଣି, ଈଶ୍ୱର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ ।
8ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ ।
9ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ୱର ତାହାଙ୍କ ସହିତ ଥିଲେ,
10ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ ।
11ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି, ମହାକ୍ଲେଶ ଘଟିଲା, ଆମ୍ଭମାନଙ୍କ ପିତୃପୁରୁଷମାନେ ଖାଦ୍ୟ ପାଇ ପାରିଲେ ନାହିଁ ।
12କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ ।
13ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ ।
14ତା'ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇପଠାଇଲେ । ସେଥିରେ ଯାକୁବ ମିସରକୁ ଗଲେ,
15ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷମାନେ ପ୍ରାଣତ୍ୟାଗ କଲେ,
16ଆଉ ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।
17କିନ୍ତୁ ଈଶ୍ୱର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ ।
18ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ ।
19ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥି ନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ ।
20ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।
21ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ ।
22ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ ।
23ତା'ଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ପରିଦର୍ଶନ କରିବା ନିମନ୍ତେ ତା'ଙ୍କ ଇଚ୍ଛା ଜାତ ହେଲା ।
24ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ ।
25ତାହାଙ୍କ ହସ୍ତ ଦ୍ୱାରା ଈଶ୍ୱର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି,ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ ।
26ପରଦିନ ସେମାନେ ଝଗଡ଼ା କରୁଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ ଆରେକ ପ୍ରତି ଅନ୍ୟାୟ କରୁଅଛ ?
27କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା ?

Read ପ୍ରେରିତ 7ପ୍ରେରିତ 7
Compare ପ୍ରେରିତ 7:6-27ପ୍ରେରିତ 7:6-27