Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 7

ପ୍ରେରିତ 7:16-42

Help us?
Click on verse(s) to share them!
16ଆଉ ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।
17କିନ୍ତୁ ଈଶ୍ୱର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ ।
18ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ ।
19ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥି ନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ ।
20ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।
21ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ ।
22ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ ।
23ତା'ଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ପରିଦର୍ଶନ କରିବା ନିମନ୍ତେ ତା'ଙ୍କ ଇଚ୍ଛା ଜାତ ହେଲା ।
24ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ ।
25ତାହାଙ୍କ ହସ୍ତ ଦ୍ୱାରା ଈଶ୍ୱର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି,ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ ।
26ପରଦିନ ସେମାନେ ଝଗଡ଼ା କରୁଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ ଆରେକ ପ୍ରତି ଅନ୍ୟାୟ କରୁଅଛ ?
27କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା ?
28କାଲି ଯେପରି ସେହି ମିସରୀୟକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ ?
29ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।
30ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ ।
31ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
32ଆମ୍ଭେ ତୁମ୍ଭ ପିତୃପୁରୁଷମାନଙ୍କ ଈଶ୍ୱର, ଅବ୍ରହାମ, ଇସ୍‌ହାକ ଓ ଯାକୁବର ଈଶ୍ୱର । ସେଥିରେ ମୋଶା କମ୍ପି ଉଠି, ଭଲରୂପେ ଦେଖିବାକୁ ସାହାସ କଲେ ନାହିଁ ।
33ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି ।
34ମିସରରେ ମୋର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି ।
35କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ୱର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ ।
36ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ ।
37ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ୱର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ ।
38ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ ।
39ଆମ୍ଭମାନଙ୍କର ପିତୃପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,
40ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ ।
41ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।
42କିନ୍ତୁ ଈଶ୍ୱର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?

Read ପ୍ରେରିତ 7ପ୍ରେରିତ 7
Compare ପ୍ରେରିତ 7:16-42ପ୍ରେରିତ 7:16-42