Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 2

ପ୍ରେରିତ 2:1-32

Help us?
Click on verse(s) to share them!
1ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ ।
2ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା,
3ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଉହ୍ଲାଇ ଆସିଲା ।
4ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ।
5ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୂଦୀମାନେ ଆସି ଯିରୂୂଶାଲମରେ ବାସ କରୁଥିଲେ ।
6ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ ।
7ପୁଣି, ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ,ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କ'ଣ ଗାଲିଲୀୟ ନୁହଁନ୍ତି ?
8ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ ?
9ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସପଟାମିଆ, ଯିହୂଦା ଦେଶ ଓ କାପ୍ପାଦକିଆ, ପନ୍ତ ଓ ଆସିଆ,
10ଫ୍ରୁଗିଆ ଓ ଫଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ପ୍ରବାସୀ,
11ପୁଣି, କ୍ରୀତୀୟ ଓ ଆରବୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ୱରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ ।
12ଆଉ, ସମସ୍ତେ ଆଚମ୍ବିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ,ଏହାର ଅର୍ଥ କ'ଣ ?
13କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି ।
14କିନ୍ତୁ ପିତର ଏଗାରଜଣଙ୍କ ସହିତ ଠିଆ ହୋଇ ଉଚ୍ଚ ସ୍ଵରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୂଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ ।
15କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି,ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର ।
16କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି,ଏହା ସେହି ଘଟଣା ଅଟେ;
17ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ ।
18ହଁ, ସେହି କାଳରେ ଅାମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ ।
19ଅାମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୂତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା ।
20ପ୍ରଭୁଙ୍କର ମହତ ଓ ପ୍ରସିଦଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ ।
21ଆଉ,ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ ।
22ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ୱର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି,ଏହା ଅାପଣମାନେ ନିଜେ ଜାଣନ୍ତି;
23ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାରୋପଣ କରି ବଧ କରିଥିଲେ;
24କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ ।
25ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି ।
26ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,
27କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ ।
28ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ ।
29ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି ।
30ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାଙ୍କ ସିଂହାସନରେ ରାଜା କରି ବସାଇବା ପାଇଁ ପରମେଶ୍ୱର ତାକୁ ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ ।
31ଏହା ଜାଣିବାରୁ ସେ ଭବିଷ୍ୟଦ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ ।
32ଏହି ଯୀଶୁଙ୍କୁ ଈଶ୍ୱର ଉଠାଇଅଛନ୍ତି, ସେହି ବିଷୟରେ ଅମ୍ଭେମାନେ ସମସ୍ତେ ସାକ୍ଷୀ ।

Read ପ୍ରେରିତ 2ପ୍ରେରିତ 2
Compare ପ୍ରେରିତ 2:1-32ପ୍ରେରିତ 2:1-32