1ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ହସ୍ତରେ ସମର୍ପିତ ହେଲେ ।
2ସେଥିରେ ଆସିଆ ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ମାକିଦନିଆର ଆରିସ୍ତାର୍ଖ ନାମକ ଜଣେ ଥେସଲନୀକୀୟ ଲୋକ ଆମ୍ଭମାନଙ୍କ ସାଙ୍ଗରେ ଥିଲେ ।
3ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ ।
4ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ କୁପ୍ରର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି,
5କିଲିକିୟା ଓ ପଂଫୂଲିଆ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆର ମୁରାକୁ ଆସିଲୁ ।
6ସେଠାରେ ଶତସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ ।
7ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ସମ୍ମୁଖ ଦେଇ କ୍ରୀତୀର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,
8ପୁଣି, କଷ୍ଟରେ କୂଳେ କୂଳେ ଯାଇ 'ସୁନ୍ଦର ବନ୍ଦର' ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସେଥିର ନିକଟବର୍ତ୍ତୀ ।
9ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା । ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
10ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି ।
11କିନ୍ତୁ ଶତସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ ।
12ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ ଅଭିମୁଖୀ ।
13ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର (ଛୋଟ ଲଙ୍ଗରରେ ବନ୍ଧା ହୋଇଥିବା ମୋଟା ଦୌଡ଼ିରେ ନୌକାକୁ ଟାଣିବା), ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ ।
14କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା ।