Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 19

ପ୍ରେରିତ 19:5-34

Help us?
Click on verse(s) to share them!
5ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ,
6ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ ।
7ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ ।
8ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ ।
9କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ ।
10ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଆସିଆ ନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ ।
11ପୁଣି, ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ,
12ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ ।
13କିନ୍ତୁ ଭ୍ରମଣକାରୀ ଯିହୂଦୀୟ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି ।
14ପୁଣି, ସ୍କେବା ନାମକ ଜଣେ ଯିହୂଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ ।
15ସେଥିରେ ମନ୍ଦଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ ?
16ସେତେବେଳେ ମନ୍ଦଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଙ୍ଗ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ।
17ଏହି କଥା ଏଫିସ ନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଜାଣିଲେ । ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା ।
18ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ,
19ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେ ସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ଟଙ୍କା ବୋଲି ଦେଖିଲେ ।
20ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା ।
21ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମକୁ ଯିବାକୁ ମନରେ ସ୍ଥିର କରି କହିଲେ, ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ ।
22ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ ।
23ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା ।
24କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା ।
25ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
26ଆଉ ହାତ ତିଆରି ଦେବତାମାନେ ଈଶ୍ୱର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଆସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ।
27ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି ।
28ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି ।
29ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଅାର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ ।
30ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ ।
31ଆଉ ଆସିଅାର ପ୍ରଧାନ କର୍ମଚାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ ।
32ସେତେବେଳେ କେହି କେହି ଏକଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ ।
33ଆଉ ଯିହୂଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା ।
34କିନ୍ତୁ ସେ ଜଣେ ଯିହୂଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି ।

Read ପ୍ରେରିତ 19ପ୍ରେରିତ 19
Compare ପ୍ରେରିତ 19:5-34ପ୍ରେରିତ 19:5-34