Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 17

ପ୍ରେରିତ 17:8-33

Help us?
Click on verse(s) to share them!
8ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ ।
9ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ି ଦେଲେ ।
10ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟାକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୂଦୀମାନଙ୍କ ସମାଜଗୃହକୁ ଗଲେ ।
11ଥେସଲନୀକୀରେ ଥିବା ଯିହୂଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ ।
12ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ ।
13କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୂଦୀମାନେ ଜାଣିଲେ ଯେ, ଈଶ୍ୱରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ ।
14ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ ।
15କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଏଥେନ୍ସ୍ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତିଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ ।
16ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା ।
17ତେଣୁ ସେ ସମାଜଗୃହରେ ଯିହୂଦୀ ଓ ଯିହୂଦୀମତାବଲମ୍ବୀ ଅଣଯିହୂଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ ।
18ସେଥିରେ ଏପିକୂୂରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କ'ଣ କହିବାକୁ ଇଚ୍ଛା କରୁଅଛ ? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ ।
19ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କ'ଣ ବୋଲି ଆମ୍ଭେମାନେ ଜାଣି ପାରିବା କି ?
20କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କ'ଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ ।
21ଆଥିନୀରେ ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ ।
22ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀର ଲୋକମାନେ , ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି ।
23କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, 'ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ।' ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି ।
24ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ,
25କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି ।
26ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
27ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାଁନ୍ତି ।
28କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, "କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ ।"
29ତେବେ, ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ ନୁହେଁ ।
30ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;
31କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି ।
32ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା ।
33ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ ।

Read ପ୍ରେରିତ 17ପ୍ରେରିତ 17
Compare ପ୍ରେରିତ 17:8-33ପ୍ରେରିତ 17:8-33