Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 17

ପ୍ରେରିତ 17:3-18

Help us?
Click on verse(s) to share them!
3ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ,ଏହାର ସ୍ପଷ୍ଟ ପ୍ରମାଣ ଦେଲେ ।
4ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୂଦୀମତାବଲମ୍ବୀ ଗ୍ରୀକ୍‌ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।
5କିନ୍ତୁ ଯିହୂଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ ।
6ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରି ପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି ।
7ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି ।
8ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ ।
9ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ି ଦେଲେ ।
10ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟାକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୂଦୀମାନଙ୍କ ସମାଜଗୃହକୁ ଗଲେ ।
11ଥେସଲନୀକୀରେ ଥିବା ଯିହୂଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ ।
12ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ ।
13କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୂଦୀମାନେ ଜାଣିଲେ ଯେ, ଈଶ୍ୱରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ ।
14ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ ।
15କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଏଥେନ୍ସ୍ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତିଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ ।
16ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା ।
17ତେଣୁ ସେ ସମାଜଗୃହରେ ଯିହୂଦୀ ଓ ଯିହୂଦୀମତାବଲମ୍ବୀ ଅଣଯିହୂଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ ।
18ସେଥିରେ ଏପିକୂୂରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କ'ଣ କହିବାକୁ ଇଚ୍ଛା କରୁଅଛ ? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ ।

Read ପ୍ରେରିତ 17ପ୍ରେରିତ 17
Compare ପ୍ରେରିତ 17:3-18ପ୍ରେରିତ 17:3-18