Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 16

ପ୍ରେରିତ 16:19-37

Help us?
Click on verse(s) to share them!
19କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ ।
20ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ,ଏହି ଲୋକଗୁଡ଼ାକ ଯିହୂଦୀ,ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି ।
21ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି ।
22ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ ।
23ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ ।
24ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ କାଠଗଣ୍ଡି ବାନ୍ଧିଦେଲେ ।
25କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ ।
26ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା ।
27ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ ।
28କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ ।
29ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
30ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ ?
31ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ ।
32ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ ।
33ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ ।
34ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ ।
35ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ ।
36ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି । ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଉନ୍ତୁ ।
37କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ,ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛନ୍ତି ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ ।

Read ପ୍ରେରିତ 16ପ୍ରେରିତ 16
Compare ପ୍ରେରିତ 16:19-37ପ୍ରେରିତ 16:19-37