Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 13

ପ୍ରେରିତ 13:11-35

Help us?
Click on verse(s) to share them!
11ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ । ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା ।
12ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ ।
13ପରେ ପାଉଲ ଓ ତାଙ୍କ ସଙ୍ଗୀମାନେ ପାଫରୁ ଜଳଯାତ୍ରା କରି ପଂଫୂଲିଆର ପର୍ଗୀକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲାମକୁ ବାହୁଡ଼ିଗଲେ ।
14ସେମାନେ ପର୍ଗୀଠାରେ ଯାତ୍ରା କରି ପିସିଦିଆର ଆନ୍ତିୟଖିଆରେ ପହଞ୍ଚିଲେ, ଆଉ ବିଶ୍ରାମବାରରେ ସମାଜଗୃହକୁ ଯାଇ ବସିଲେ ।
15ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର କଥା ଅଛି, ତେବେ କହନ୍ତୁ ।
16ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ୱର ଭୟକାରୀମାନେ, ଶ୍ରବଣ କରନ୍ତୁ ।
17ଏହି ଇସ୍ରାଏଲ ଜାତିର ଈଶ୍ୱର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ ।
18ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ,
19ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କ ଦେଶ ଅଧିକାରସ୍ୱରୂପେ ଦେଲେ ।
20ଏଥିଉତ୍ତାରେ ଭାବବାଦୀ ଶାମୁଏଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ।
21ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ୱର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ ।
22ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ ।
23ତାହାଙ୍କ ବଂଶରୁ ଈଶ୍ୱର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି ।
24ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ;
25ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ । କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ ।
26ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ୱର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି ।
27କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ,
28ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ ।
29ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖା ଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ ।
30କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ,
31ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ ।
32ଆଉ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,
33ଈଶ୍ୱର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଗୀତସଂହିତା ଦୁଇ ଅଧ୍ୟାୟରେ ମଧ୍ୟ ଲେଖା ଅଛି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ" ।
34ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏବିଷୟରେ ସେ ଏହି ପ୍ରକାର କହିଅଛନ୍ତି, ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା ।
35ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ''ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ ।''

Read ପ୍ରେରିତ 13ପ୍ରେରିତ 13
Compare ପ୍ରେରିତ 13:11-35ପ୍ରେରିତ 13:11-35