Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 11

ପ୍ରେରିତ 11:2-30

Help us?
Click on verse(s) to share them!
2ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ,
3ତୁମ୍ଭେ ଅସୁନ୍ନତି ଲୋକମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ ।
4କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ,
5ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି,
6ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି,
7ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, ହେ ପିତର, ଉଠ, ବଧ କରି ଭୋଜନ କର ।
8କିନ୍ତୁ ମୁଁ କହିଲି, ନାହିଁ, ପ୍ରଭୁ ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ ।
9କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ ।
10ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା ।
11ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ ।
12ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ । ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ ।
13ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ;
14ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହି ସବୁ କହିବେ ।
15ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲାପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ ।
16ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ।
17ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ୱର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରିଥାନ୍ତି ?
18ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି ।
19ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନିକିଆ, ସାଇପ୍ରସ୍ ଓ ଆନ୍ତିୟଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୂଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ ।
20କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍‌ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ ।
21ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ ।
22ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ ।
23ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ;
24କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ । ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ ।
25ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ,
26ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ । ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ ।
27ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ ।
28ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା ।
29ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ,
30ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ ।

Read ପ୍ରେରିତ 11ପ୍ରେରିତ 11
Compare ପ୍ରେରିତ 11:2-30ପ୍ରେରିତ 11:2-30