Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 10

ପ୍ରେରିତ 10:8-37

Help us?
Click on verse(s) to share them!
8ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋକୁ ପଠାଇଲେ ।
9ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ,
10ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ,
11ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;
12ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି ।
13ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଖାଅ ।
14କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ ।
15ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ ।
16ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା ।
17ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କ'ଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ,
18ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ ।
19ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି ।
20ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ ।
21ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି । ତୁମ୍ଭମାନଙ୍କ ଆସିବାର କାରଣ କ'ଣ ?
22ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି ।
23ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ । ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ ।
24ପରଦିନ ସେମାନେ କାଇସରିିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ ।
25ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ ।
26କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ ।
27ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
28ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୂଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି ।
29ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି । ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି ?
30କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
31ପୁଣି, ତୁମ୍ଭର ଦାନସବୁ ଈଶ୍ୱରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି ।
32ଅତଏବ ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି ।
33ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି । ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ ।
34ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ,
35କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।
36ସେ ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ ।
37ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ସମୟରୁ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦା ରେ ପ୍ରଚାରିତ ହୋଇଅଛି,

Read ପ୍ରେରିତ 10ପ୍ରେରିତ 10
Compare ପ୍ରେରିତ 10:8-37ପ୍ରେରିତ 10:8-37