Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 8

ପ୍ରଥମ ରାଜାବଳୀ 8:38-57

Help us?
Click on verse(s) to share them!
38ତେବେ, ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ;
39ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ଶ୍ରବଣ କରି କ୍ଷମା କର ଓ ସିଦ୍ଧ କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ; କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ସମୁଦାୟ ମନୁଷ୍ୟ-ସନ୍ତାନର ଅନ୍ତଃକରଣ ଜାଣୁଅଛ;
40ତାହାହେଲେ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ସେମାନେ ତୁମ୍ଭଙ୍କୁ ଭୟ କରିବେ।
41ଆହୁରି ଯେ ତୁମ୍ଭର ଇସ୍ରାଏଲ-ଲୋକଙ୍କର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭ ନାମ ସକାଶୁ ଦୂର ଦେଶରୁ ଆସେ;
42କାରଣ, ବିଦେଶୀମାନେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁର କଥା ଅବଶ୍ୟ ଶୁଣିବେ; ଏପରି ଲୋକ ଆସି ଯେବେ ଏହି ଗୃହ ଆଡ଼େ ପ୍ରାର୍ଥନା କରେ,
43ତେବେ, ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
44ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ,
45ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କ ବିଚାର-ନିଷ୍ପତ୍ତି କର।
46ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ଯେ ପାପ ନ କରେ, ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲେ ଯେବେ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ଅବା ନିକଟସ୍ଥ ଶତ୍ରୁଦେଶକୁ ନେଇ ଯା’ନ୍ତି;
47ତେବେ ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ଅନୁତାପ କରନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ଆମ୍ଭେମାନେ ପାପ କଲୁ ଓ ବିପଥଗାମୀ ହେଲୁ ଓ ଦୁଷ୍ଟପଣ କଲୁ;
48ଆଉ, ଯେଉଁ ଶତ୍ରୁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ ଓ ତୁମ୍ଭ ମନୋନୀତ ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ’ ନିର୍ମିତ ଗୃହ ଆଡ଼େ ମୁଖ କରି ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି,
49ତେବେ ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କ ବିଚାର ନିଷ୍ପତ୍ତି କର;
50ପୁଣି, ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ ଓ ତୁମ୍ଭ ବିରୁଦ୍ଧରେ କୃତ ସେମାନଙ୍କର ସମସ୍ତ ଅଧର୍ମ କ୍ଷମା କର; ପୁଣି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନେ ଯେପରି ଦୟା କରିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ସେମାନଙ୍କୁ ଦୟାପାତ୍ର କର।
51କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;
52ତୁମ୍ଭ ଦାସର ବିନତି ପ୍ରତି ଓ ତୁମ୍ଭ ଲୋକ ଇସ୍ରାଏଲର ବିନତି ପ୍ରତି ତୁମ୍ଭର ଚକ୍ଷୁ ପ୍ରସନ୍ନ ଥାଉ ଓ ସେମାନେ ଯେକୌଣସି ସମୟରେ ତୁମ୍ଭକୁ ଡାକି ପ୍ରାର୍ଥନା କରନ୍ତି, ସେସମୟରେ ତାହା ଶୁଣ।
53କାରଣ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେପରି କହିଥିଲ, ତଦନୁସାରେ ତୁମ୍ଭେ ସେମାନଙ୍କୁ ଆପଣା ଅଧିକାର ଦେବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରୁ ପୃଥକ୍‍ କରିଅଛ।”
54ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି-ନିବେଦନ କରିବାର ସମାପ୍ତ କରନ୍ତେ, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ-ବିସ୍ତାରକରଣରୁ ଉଠିଲେ।
55ପୁଣି, ସେ ଠିଆ ହୋଇ ଉଚ୍ଚସ୍ୱରରେ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କରି କହିଲେ,
56“ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ।
57ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପିତୃଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଥାଉନ୍ତୁ; ସେ ଆମ୍ଭମାନଙ୍କୁ ତ୍ୟାଗ ନ କରନ୍ତୁ, କିଅବା ଆମ୍ଭମାନଙ୍କଠାରୁ ଦୂରବର୍ତ୍ତୀ ନ ହେଉନ୍ତୁ।

Read ପ୍ରଥମ ରାଜାବଳୀ 8ପ୍ରଥମ ରାଜାବଳୀ 8
Compare ପ୍ରଥମ ରାଜାବଳୀ 8:38-57ପ୍ରଥମ ରାଜାବଳୀ 8:38-57