Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 18

ପ୍ରଥମ ରାଜାବଳୀ 18:28-44

Help us?
Click on verse(s) to share them!
28ପୁଣି, ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ।
29ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ।
30ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, “ମୋ’ ନିକଟକୁ ଆସ,” ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନଃନିର୍ମାଣ କଲେ।
31ପୁଣି, ଯେଉଁ ଯାକୁବ ନିକଟରେ “ତୁମ୍ଭର ନାମ ଇସ୍ରାଏଲ ହେବ” ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ।
32ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ।
33ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।”
34ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ।
35ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ।
36ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୁ, ଅବ୍ରହାମର ଓ ଇସ୍‍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।”
37ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋ’ କଥା ଶୁଣ, ହେ ସଦାପ୍ରଭୁ, ମୋ’ କଥା ଶୁଣ।
38ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା।
39ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।”
40ତହୁଁ ଏଲିୟ ସେମାନଙ୍କୁ କହିଲେ, “ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ।” ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ୍‍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ।
41ଏଥିଉତ୍ତାରେ ଏଲୀୟ ଆହାବଙ୍କୁ କହିଲେ, “ତୁମ୍ଭେ ଉଠି ଯାଇ ଭୋଜନ ପାନ କର; କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି।”
42ତହୁଁ ଆହାବ ଭୋଜନ ପାନ କରିବାକୁ ଉଠିଗଲେ। ପୁଣି, ଏଲୀୟ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଇଁପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ।
43ପୁଣି, ସେ ଆପଣା ଦାସକୁ କହିଲେ, “ଉଠିଯାଇ ସମୁଦ୍ରଆଡ଼େ ଅନାଅ।” ତହୁଁ ସେ ଉଠିଯାଇ ଅନାଇ କହିଲା, “କିଛି ନାହିଁ।” ଏଥିରେ ଏଲୀୟ କହିଲେ, “ପୁନର୍ବାର ସାତ ଥର ଯାଅ।”
44ତହୁଁ ସେ ସପ୍ତମ ଥର କହିଲା, “ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି।” ଏଥିରେ ଏଲୀୟ କହିଲେ, “ଉଠିଯାଇ ଆହାବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ, ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ।”

Read ପ୍ରଥମ ରାଜାବଳୀ 18ପ୍ରଥମ ରାଜାବଳୀ 18
Compare ପ୍ରଥମ ରାଜାବଳୀ 18:28-44ପ୍ରଥମ ରାଜାବଳୀ 18:28-44