Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 37

ଗୀତସଂହିତା 37:1-31

Help us?
Click on verse(s) to share them!
1ଦାଉଦଙ୍କର ଗୀତ। ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ, କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ।
2କାରଣ ସେମାନେ ଘାସ ପରି ଶୀଘ୍ର କଟା ଯିବେ ଓ କୋମଳ ତୃଣ ପରି ଶୁଷ୍କ ହେବେ।
3ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ।
4ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।
5ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର; ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ।
6ଆଉ, ସେ ଦିପ୍ତୀ ତୁଲ୍ୟ ତୁମ୍ଭର ଧର୍ମ ଓ ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ।
7ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ; ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ।
8କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ।
9କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ।
10ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ।
11ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ।
12ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ।
13ପ୍ରଭୁ ତାହାକୁ ଉପହାସ କରିବେ। କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି।
14ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ- ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି।
15ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।
16ଅନେକ ଦୁଷ୍ଟଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।
17କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ ଧାର୍ମିକକୁ ଧରି ରଖିବେ।
18ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି ଓ ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ।
19ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ; ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ।
20ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ, ପୁଣି, ସଦାପ୍ରଭୁଙ୍କ ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ; ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ ନିଃଶେଷିତ ହୋଇଯିବେ।
21ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ। ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ।
22କାରଣ ତାହାଙ୍କର ଆଶୀର୍ବାଦପ୍ରାପ୍ତ ଲୋକେ ଦେଶାଧିକାର କରିବେ; ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ
23ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି।
24ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ; କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି।
25ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ।
26ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।
27ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର; ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ।
28କାରଣ ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଆନ୍ତି ଓ ଆପଣା ସଦ୍‍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ; ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି; ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ।
29ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ।
30ଧାର୍ମିକର ମୁଖ ଜ୍ଞାନର କଥା କହେ ଓ ତାହାର ଜିହ୍ୱା ନ୍ୟାୟ ବିଚାରର କଥା କହେ।
31ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି; ତାହାର କୌଣସି ପାଦଗତି ଖସିଯିବ ନାହିଁ।

Read ଗୀତସଂହିତା 37ଗୀତସଂହିତା 37
Compare ଗୀତସଂହିତା 37:1-31ଗୀତସଂହିତା 37:1-31