Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 31

ଗୀତସଂହିତା 31:5-23

Help us?
Click on verse(s) to share them!
5ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; ହେ ସଦାପ୍ରଭୁ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।
6ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ; ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ।
7ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି; କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ; ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋ’ ପ୍ରାଣର ତତ୍ତ୍ୱ ନେଇଅଛ।
8ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ; ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।
9ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ; ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।
10କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ ମୋହର ବର୍ଷ ବହି ଯାଉଅଛି; ମୋ’ ଅପରାଧ ସକାଶୁ ମୋର ବଳ କ୍ଷୀଣ ହେଉଅଛି ଓ ମୋର ଅସ୍ଥିସବୁ କ୍ଷୟ ପାଉଅଛି।
11ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି, ମୋତେ ବାହାରେ ଦେଖିଲା ଲୋକମାନେ ମୋ’ ନିକଟରୁ ପଳାଇଲେ।
12ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି; ମୁଁ ଭଗ୍ନ ପାତ୍ର ସଦୃଶ।
13କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା; ସେମାନେ ମୋ’ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ ମୋ’ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।
14ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନିଏ; ମୁଁ କହେ, “ତୁମ୍ଭେ ମୋହର ପରମେଶ୍ୱର।”
15ମୋହର ସମୟ ସବୁ ତୁମ୍ଭର ହସ୍ତଗତ; ମୋ’ ଶତ୍ରୁଗଣ ହସ୍ତରୁ ଓ ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।
16ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର; ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର।
17ହେ ସଦାପ୍ରଭୁ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି; ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ।
18ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ, ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।
19ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ, ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ, ତାହା କିପରି ମହତ୍‍ !
20ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ; ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।
21ସଦାପ୍ରଭୁ ଧନ୍ୟ ହେଉନ୍ତୁ; କାରଣ ସେ ଦୃଢ଼ ନଗରରେ ମୋ’ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।
22ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲି ଆପଣା ଅଧୈର୍ଯ୍ୟରେ କହିଥିଲି; ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋ’ ନିବେଦନର ରବ ଶୁଣିଲ।
23ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର; ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।

Read ଗୀତସଂହିତା 31ଗୀତସଂହିତା 31
Compare ଗୀତସଂହିତା 31:5-23ଗୀତସଂହିତା 31:5-23