Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 18

ଗୀତସଂହିତା 18:1-27

Help us?
Click on verse(s) to share them!
1ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ, ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରେମ କରେ।
2ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ।
3ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି।
4ମୃତ୍ୟୁୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପାଧମତାରୂପ ପ୍ଳାବନ ମୋତେ ଭୟଗ୍ରସ୍ତ କଲା।
5ପାତାଳର ରଜ୍ଜୁସବୁ ମୋ’ ଚାରିଆଡ଼େ ଥିଲା; ମୃତ୍ୟୁୁର ଫାନ୍ଦ ମୋ’ ଉପରେ ପଡ଼ିଲା।
6ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ’ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି, ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା।
7ସେତେବେଳେ ପୃଥିବୀ ଟଳଟଳ ଓ କମ୍ପିତ ହେଲା, ପର୍ବତଗଣର ଭିତ୍ତିମୂଳ ମଧ୍ୟ ବିଚଳିତ ହେଲା ଓ ତାହାଙ୍କ କୋପ ସକାଶୁ ଟଳଟଳ ହେଲା।
8ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା।
9ସେ ଆକାଶମଣ୍ଡଳକୁ ହିଁ ନୁଆଁଇ ତଳକୁ ଆସିଲେ; ଆଉ, ତାହାଙ୍କ ପାଦ ତଳେ ଘୋର ଅନ୍ଧକାର ଥିଲା।
10ପୁଣି, ସେ କିରୂବ ଉପରେ ଆରୋହଣ କରି ଉଡ଼ିଲେ; ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ।
11ସେ ଅନ୍ଧକାରକୁ ଆପଣାର ଗୁପ୍ତ ସ୍ଥାନ ଓ ଜଳମୟ ଅନ୍ଧକାରକୁ, ଗଗନମଣ୍ଡଳର ନିବିଡ଼ ମେଘମାଳକୁ ଆପଣା ଚତୁର୍ଦ୍ଦିଗରେ ଆବାସ ସ୍ୱରୂପ କଲେ।
12ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ତାହାଙ୍କର ନିବିଡ଼ ମେଘମାଳ ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର ନିର୍ଗତ କଲା।
13ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ।
14ଆଉ, ସେ ଆପଣା ତୀର ପ୍ରେରଣ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ହଁ, ଅନେକ ବିଜୁଳି ପଠାଇ ସେମାନଙ୍କୁ ବ୍ୟାକୁଳ କଲେ।
15ସେତେବେଳେ, ହେ ସଦାପ୍ରଭୁ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସ ବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।
16ସେ ଊର୍ଦ୍ଧ୍ୱରୁ ହସ୍ତ ବିସ୍ତାର କରି ମୋତେ ଧରିଲେ; ସେ ଆପଣା ଜଳରାଶିରୁ ମୋତେ ଓଟାରି ଆଣିଲେ,
17ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ଉଦ୍ଧାର କଲେ, କାରଣ ସେମାନେ ମୋ’ ଅପେକ୍ଷା ଅତି ପରାକ୍ରାନ୍ତ ଥିଲେ।
18ସେମାନେ ମୋହର ବିପଦ ଦିନରେ ମୋତେ ଆକ୍ରମଣ କଲେ; ମାତ୍ର ସଦାପ୍ରଭୁ ମୋତେ ଉଦ୍ଧାର କଲେ।
19ମଧ୍ୟ ସେ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋ’ଠାରେ ସନ୍ତୁଷ୍ଟ ହେବାରୁ ମୋତେ ଉଦ୍ଧାର କଲେ।
20ସଦାପ୍ରଭୁ ମୋହର ଧର୍ମାନୁସାରେ ମୋତେ ପୁରସ୍କାର ଦେଲେ; ମୋ’ ହସ୍ତର ଶୌଚ ଅନୁସାରେ ସେ ମୋତେ ଫଳ ଦେଲେ।
21କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ।
22ଆଉ, ତାହାଙ୍କ ଶାସନସବୁ ମୋ’ ସମ୍ମୁଖରେ ଥିଲା, ପୁଣି, ମୁଁ ତାହାଙ୍କ ବିଧିସବୁ ଆପଣାଠାରୁ ଦୂର କଲି ନାହିଁ।
23ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।
24ଏହେତୁ ସଦାପ୍ରଭୁ ମୋର ଧର୍ମାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋ’ ହସ୍ତର ଶୌଚାନୁସାରେ ମୋତେ ଫଳ ଦେଇ ଅଛନ୍ତି।
25ଦୟାଳୁ ପ୍ରତି ତୁମ୍ଭେ ଆପଣାକୁ ଦୟାଳୁ ଦେଖାଇବ; ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ;
26ନିର୍ମଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ। ଆଉ, କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ;
27କାରଣ ତୁମ୍ଭେ ଦୁଃଖୀଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ।

Read ଗୀତସଂହିତା 18ଗୀତସଂହିତା 18
Compare ଗୀତସଂହିତା 18:1-27ଗୀତସଂହିତା 18:1-27