Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 119

ଗୀତସଂହିତା 119:44-118

Help us?
Click on verse(s) to share them!
44ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି।
45ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।
46ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।
47ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
48ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।
49ସୟିନ୍‍। ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।
50ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
51ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।
52ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।
53ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।
54ମୋ’ ପ୍ରବାସ-ଗୃହରେ ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।
55ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।
56ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି।
57ହେତ୍‍। ସଦାପ୍ରଭୁ ମୋହର ଅଂଶ; ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।
58ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; ଆପଣା ବାକ୍ୟାନୁସାରେ ମୋ’ ପ୍ରତି ଦୟାଳୁ ହୁଅ।
59ମୁଁ ଆପଣା ଗତିସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।
60ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।
61ଦୁଷ୍ଟମାନଙ୍କର ରଜ୍ଜୁ ମୋ’ ଚାରିଆଡ଼େ ଜଡ଼ିତ ହେଲା; ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।
62ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।
63ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।
64ହେ ସଦାପ୍ରଭୁ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ; ତୁମ୍ଭ ବିଧିସବୁ ମୋତେ ଶିଖାଅ।
65ଟେଟ୍‍। ହେ ସଦାପ୍ରଭୁ, ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ।
66ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ। କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି।
67ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
68ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ; ମୋତେ ତୁମ୍ଭ ବିଧିସବୁ ଶିଖାଅ।
69ଅହଙ୍କାରୀମାନେ ମୋ’ ବିରୁଦ୍ଧରେ ମିଥ୍ୟାକଥା କଳ୍ପନା କରିଅଛନ୍ତି; ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।
70ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।
71ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା।
72ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋ’ ପ୍ରତି ଉତ୍ତମ।
73ଇୟୂଦ୍‍। ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।
74ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ; କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।
75ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।
76ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।
77ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ’ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।
78ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ; କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି; ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି।
79ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋ’ କତିକି ଫେରନ୍ତୁ, ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ।
80ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ ବିଧିସବୁରେ ମୋ’ ଅନ୍ତଃକରଣ ସିଦ୍ଧ ହେଉ।
81କଫ୍‍। ତୁମ୍ଭ ପରିତ୍ରାଣ ପାଇଁ ମୋ’ ପ୍ରାଣ କ୍ଷୀଣ ହୁଏ; ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।
82ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ ? ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ।
83କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି। ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ।
84ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ ? ତୁମ୍ଭେ କେବେ ମୋ’ ତାଡ଼ନାକାରୀମାନଙ୍କର ବିଚାର କରିବ ?
85ଅହଙ୍କାରୀମାନେ ମୋ’ ପାଇଁ ଗର୍ତ୍ତ ଖୋଳିଅଛନ୍ତି, ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହଁନ୍ତି।
86ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ; ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର।
87ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ; ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ।
88ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ’ ଜୀବନକୁ ରକ୍ଷା କର; ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି।
89ଲାମଦ୍‍। ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।
90ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।
91ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; କାରଣ ସମସ୍ତେ ତୁମ୍ଭର ଦାସ।
92ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା’ନ୍ତି।
93ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
94ମୋତେ ତ୍ରାଣ କର, ମୁଁ ତୁମ୍ଭର; କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।
95ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।
96ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ।
97ମେମ୍‍। ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।
98ତୁମ୍ଭ ଆଜ୍ଞାସବୁ ମୋତେ ମୋ’ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; କାରଣ ତାହାସବୁ ନିରନ୍ତର ମୋ’ ସଙ୍ଗେ ଥାଏ।
99ମୋହର ସମସ୍ତ ଗୁରୁ ଅପେକ୍ଷା ମୋ’ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
100ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
101ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
102ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
103ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ! ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର !
104ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
105ନୂନ୍‍। ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।
106ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
107ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
108ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ’ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
109ମୋ’ ପ୍ରାଣ ନିରନ୍ତର ବିପଦରେ ଥାଏ; ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।
110ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
111ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ।
112ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି।
113ସାମକ୍‍। ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।
114ତୁମ୍ଭେ ମୋ’ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
115ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ’ ନିକଟରୁ ଦୂର ହୁଅ।
116ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋ’ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
117ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।
118ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।

Read ଗୀତସଂହିତା 119ଗୀତସଂହିତା 119
Compare ଗୀତସଂହିତା 119:44-118ଗୀତସଂହିତା 119:44-118