Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 119

ଗୀତସଂହିତା 119:144-176

Help us?
Click on verse(s) to share them!
144ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି।
145କଫ। ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; “ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; ମୁଁ ତୁମ୍ଭର ବିଧି ପାଳନ କରିବି।
146ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର, ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।”
147ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।
148ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।
149ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ; ହେ ସଦାପ୍ରଭୁ, ଆପଣା ଶାସନାନୁସାରେ ମୋତେ ସଚେତ କର।
150ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି; ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ।
151ହେ ସଦାପ୍ରଭୁ, ତୁମ୍ଭେ ନିକଟବର୍ତ୍ତୀ ଓ ତୁମ୍ଭ ଆଜ୍ଞାସକଳ ସତ୍ୟ।
152ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ, ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ।
153ରେଶ୍‍। ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର; କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ।
154ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର; ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
155ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ; କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ।
156ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ; ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।
157ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ; ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ।
158ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି; କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
159ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ, ଏହା ବିବେଚନା କର; ହେ ସଦାପ୍ରଭୁ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର।
160ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ।
161ଶିନ୍‍। ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି; ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।
162କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।
163ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।
164ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।
165ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି; ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ।
166ହେ ସଦାପ୍ରଭୁ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି, ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି।
167ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ।
168ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି। କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି।
169ତୌ। ହେ ସଦାପ୍ରଭୁ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର।
170ମୋ’ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର।
171ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।
172ମୋ’ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ।
173ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି।
174ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।
175ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ।
176ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; ଆପଣା ଦାସକୁ ଖୋଜ; କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ।

Read ଗୀତସଂହିତା 119ଗୀତସଂହିତା 119
Compare ଗୀତସଂହିତା 119:144-176ଗୀତସଂହିତା 119:144-176