Text copied!
CopyCompare
ଓଡିଆ ବାଇବେଲ - ଉପଦେଶକ - ଉପଦେଶକ 7

ଉପଦେଶକ 7:1-16

Help us?
Click on verse(s) to share them!
1ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।
2ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ।
3ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷର୍ଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ।
4ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ।
5ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ।
6କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି, ମୂର୍ଖର ହାସ୍ୟ ସେପରି; ଏହା ହିଁ ଅସାର।
7ନିଶ୍ଚୟ ଅନ୍ୟାୟ ଧନଗ୍ରହଣ ଜ୍ଞାନୀ ଲୋକକୁ ନିର୍ବୋଧ କରେ ଓ ଲାଞ୍ଚ ବୁଦ୍ଧି ନଷ୍ଟ କରେ।
8କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ; ପୁଣି, ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ।
9କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ; କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ।
10ବର୍ତ୍ତମାନ କାଳ ଅପେକ୍ଷା ପୂର୍ବ କାଳ ଭଲ ଥିବାର କାରଣ କଅଣ, ଏହା ନ କୁହ, କାରଣ ତୁମ୍ଭେ ଏ ବିଷୟ ଜ୍ଞାନରେ ପ୍ରଶ୍ନ କରୁ ନାହଁ।
11ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ; ଆହୁରି, ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ।
12କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ; ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ, ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ।
13ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର; କାରଣ ସେ ଯାହା ବଙ୍କା କରିଅଛନ୍ତି, କିଏ ତାହା ସଳଖ କରି ପାରେ ?
14ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର; ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି।
15ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।
16ଅତିରିକ୍ତ ଧାର୍ମିକ ହୁଅ ନାହିଁ; କିଅବା ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ; କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ ?

Read ଉପଦେଶକ 7ଉପଦେଶକ 7
Compare ଉପଦେଶକ 7:1-16ଉପଦେଶକ 7:1-16